Movie prime

୧ ଟଙ୍କାରେ ଖାଦ୍ୟ ବାଣ୍ଟି ଚର୍ଚ୍ଚାରେ ଏହି ଦମ୍ପତି ୧୫ ବର୍ଷ ଧରି କରି ଆସୁଛନ୍ତି ଏହି ସେବା ଏପରି ଲୋକଙ୍କୁ ହୃଦୟରୁ ସଲାମ

 
Special Report
ବଞ୍ଚିଛି ମାନବିକତା। ଜଣେ ଦମ୍ପତ୍ତି ଗରିବଙ୍କୁ ଦେଉଛନ୍ତି ୧ ଟଙ୍କିଆ ମିଲ୍‌। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ତାମିଲନାଡୁର ଇରୋଡ୍‌ ସ୍ଥିତ ସରକାରୀ ଜିଲ୍ଲା ହେଡକ୍ୱାଟର୍ସ ହସ୍ପିଟାଲରେ ଏହି ସେବା ସେମାନେ ଜାରି ରଖିଛନ୍ତି। ଗରିବ ଓ ବଞ୍ଚିତ ରୋଗୀଙ୍କ ଦେଖାଶୁଣା କରିବାକୁ ସେମାନଙ୍କ ସାଙ୍ଗରେ ରହୁଥିବା ପରିଜନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ମେସ୍‌ ଖୋଲିଛନ୍ତି ଏହି ଦମ୍ପତି। ଏଏମଭି ହୋମଲି ଫୁଡ୍‌ ନାମକ ମେସରେ ଗତ ୧୫ ବର୍ଷ ଧରି ଭେଙ୍କଟରମଣ ଓ ରାଜଲକ୍ଷ୍ମୀ ଗରିବଙ୍କୁ ୧ ଟଙ୍କିଆ ମିଲ୍‌ ପ୍ରଦାନ କରୁଛନ୍ତି।
ସରକାରୀ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ଗରିବ ରୋଗୀଙ୍କ ପରିଜନଙ୍କୁ ତାଙ୍କ ମେସ୍‌ ୧ ଟଙ୍କା ଲେଖାଏଁ ୩ ଓଳି ମିଲ୍‌ ପ୍ରଦାନ କରୁଛନ୍ତି। ହସ୍ପିଟାଲ୍ ରେ ରୋଗୀଙ୍କୁ ଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ସେମାନଙ୍କ ଦେଖାଶୁଣା ପାଇଁ ସାଙ୍ଗରେ ରହୁଥିବା ପରିଜନଙ୍କୁ ବାହାରେ ଖାଦ୍ୟ ଖାଇବାକୁ ଓ ଦିନକୁ ଅତିକମରେ ୧୫୦ ଟଙ୍କା ଦେବାକୁ ପଡୁଛି। ଏମାନଙ୍କ ସମସ୍ୟା ଓ ସଂଘର୍ଷ ଦେଖିବା ପରେ ଭେଙ୍କଟରମଣ ହସ୍ପିଟାଲ୍ ପାଖରେ ଏକ ମେସ୍‌ ଖୋଲିବାକୁ ଚିନ୍ତା କଲେ। ଏହି ଦମ୍ପତି ୧ ଟଙ୍କାରେ ପୂରା ମିଲ୍‌ ପ୍ରଦାନ କରୁଛନ୍ତି।
୧ ଟଙ୍କାରେ ସକାଳ ଓ ସନ୍ଧ୍ୟାରେ ଜଳଖିଆ ମଧ୍ୟ ଦେଉଛନ୍ତି। ପ୍ରତିଦିନ ପ୍ରାୟ ୧୦୦ ଲୋକଙ୍କୁ ସେମାନେ ଖାଦ୍ୟ ଯୋଗାଉଛନ୍ତି। କେବଳ ସେତିକି ନୁହେଁ, ୨୦ ପ୍ରତିଶତ ରିଆତିରେ ସେମାନେ ଦିବ୍ୟାଙ୍ଗ ଲୋକଙ୍କୁ ଖାଦ୍ୟ ପ୍ରଦାନ କରୁଛନ୍ତି। ଏହି ଦମ୍ପତି କହିଛନ୍ତି, କର୍ମଚାରୀଙ୍କ ପାରିଶ୍ରମିକ ଓ ମୂଲ୍ୟବୃଦ୍ଧି ଯୋଗୁଁ ଆମେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛୁ। ତଥାପି କୌଣସି ବାଧାବିଘ୍ନ ବିନା ଗରିବଙ୍କୁ ଖାଦ୍ୟ ସେବା ଯୋଗାଇ ପାରୁଛୁ। ଆଉ ଏଥିପାଇଁ ବେଳେବେଳେ କିଛି ବଦାନ୍ୟ ବ୍ୟକ୍ତି ଆମକୁ ଆର୍ଥିକ ସାହାଯ୍ୟ କରୁଛନ୍ତି।
୨୦୦୭ରେ ଏକ ଦୁର୍ଘଟଣା ଆମକୁ ଏହି ନିଷ୍ପତି ପାଇଁ ପ୍ରେରଣା ଦେଇଥିଲା। ଜଣେ ବୃଦ୍ଧ ମହିଳା ତାଙ୍କ ଅସୁସ୍ଥ ସ୍ୱାମୀଙ୍କ ପାଇଁ ଜଳଖିଆ କିଣିବାକୁ ଆମ ମେସକୁ ଆସିଥିଲେ। ୧୦ଟଙ୍କାରେ ୩ଟି ଦୋସା ବହୁତ ମହଙ୍ଗା ହେଉଛି, ସେ ଏହାକୁ କିଣିପାରିବେ ନାହିଁ ବୋଲି କହିଲେ। ଏହାପରେ ଆମେ ୧୦ଟଙ୍କାରେ ସୁଇଜଣଙ୍କ ପାଇଁ ୬ଟି ଦୋସା ଦେଲୁ। ସେହି ଦିନଠୁ ସରକାରୀ ହସପିଟାଲରେ ଚିକିତ୍ସିତ ରୋଗୀଙ୍କ ପରିଜନଙ୍କୁ ଆମେ ମିଲ ଓ ଟିଫିନ୍‌ ମାତ୍ର ୧ ଟଙ୍କାରେ ପ୍ରଦାନ କରୁଛୁ। ଏହି ପ୍ରୟାସ ଲାଗି ଉଭୟଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ଖୁବ ପ୍ରଶଂସା କରିଛନ୍ତି।