ଆଜି ବିଧାନସଭା ଆଗରେ ହାତ କାଟି ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ..

ଆଜି ବିଧାନସଭା ଆଗରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଦୁଷ୍ମନ୍ତ ଦାସ । ସେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଅବହେଳା ଅଭିଯୋଗ କରି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ପଙ୍କପାଳର ଯୁବକ ଦୁଷ୍ମନ୍ତ ଦାସ ଏସସିବିରେ ଚିକିତ୍ସା ଅବହେଳାକୁ ନେଇ ବିରୋଧ କରିବା ସହ ନିଜ ହାତ କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧର କରାଯାଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ନିର୍ଦ୍ଦେଶକ୍ରମେ ଗତ ମାସ ୧୬ ତାରିଖରେ ଦୁଷ୍ମନ୍ତଙ୍କୁ ଏସ୍‌ସିବିର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ଏଠାରେ ଏକ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ସେ ଚାଲିବାକୁ ଅକ୍ଷମ ହୋଇପଡ଼ିଥିଲେ । ତାଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ ଅଚଳ ହୋଇଯାଇଥିଲା

ରାଜ୍ୟସରକାରଙ୍କ ସହଯୋଗ ପରେ ସେ ସୁସ୍ଥ ହୋଇଯିବେ ବୋଲି ଆଶା ନେଇ ପୁଣି ବଡ଼ ମେଡିକାଲକୁ ଆସିଥିଲେ । ହେଲେ ମେଡିକାଲରେ ୨୧ ଦିନ ପଡ଼ିରହିବା ପରେ ମଧ୍ୟ ତାଙ୍କର ଚିକିତ୍ସା ହୋଇପାରି ନଥିଲା । ଶେଷରେ ଦୁଷ୍ମନ୍ତ ଜିଇବାକୁ ଆଉ ଚାହିଁ ନଥିଲେ । ତେବେ ସନ୍ଧ୍ୟାରେ କଟକର ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସୁବିଧା ମିଳୁନଥିବା ନେଇ ଯୁବକ ଜଣଙ୍କ ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published. Required fields are marked *